Odisha Sizzles Under Intense Heat: ପ୍ରଚଣ୍ଡ ଖରାରେ ସିଝିଲା ସାରା ଓଡ଼ିଶା, ୪୨ ଡିଗ୍ରୀ ସହ ରାଜଧାନୀରେ ଏବର୍ଷର ରେକର୍ଡ ତାତି

କାଲି ଭାଜିଲା, ଆଜି ଜଳେଇଲା। ଘରୁ ବାହାରିଲେ ଲାଗୁଛି, ଦେହ ଉପରେ ଯେମିତି କିଏ ନିଆଁ ଢାଳି ଦେଉଛି। ସକାଳ ୯ଟା ପରେ ରାସ୍ତାରେ ପାଦ ରଖିବା କଷ୍ଟକର, ଆଉ ଦିନ ୧୨ଟା ପରେ ସ୍ଥିତି ପୂରା ସାଂଘାତିକ। ପଶ୍ଚିମରୁ ଉପକୂଳ ଓଡ଼ିଶା, ସବୁଠି ତାତିର ତାଣ୍ଡବ।
ଦେହ ଜଳୁଛି… ମୁଣ୍ଡ ପୋଡି ଯାଉଛି…ଘରୁ ବାହାରିଲେ ଲାଗୁଛି ଯେମିତି ନିଆଁ କୁଣ୍ଡ ଭିତରେ ପଶିଯାଉଛି। ସକାଳୁ ସୂର୍ଯ୍ୟର ତେଜ, ଦିନ ବଢିବା ସହ ତାତିର ତାଣ୍ଡବ। ତାଳୁରୁ ତଳିପା ଯାଏଁ ତତାଇ ଦେଉଛି। ଅସହ୍ୟ ଗରମ ଓ ଗୁଳୁଗୁଳି, ସନ୍ତୁଳି ହେଉଛି ସାରା ଓଡ଼ିଶା। ଲଗାତର କିଛି ଦିନ ଭଳି ଆଜି ବି ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ଅଣନିଶ୍ବାସୀ ରାଜ୍ୟବାସୀ। ଇଏ ଓଡ଼ିଶାର ‘ବାନ୍ଦା’ ଝାରସୁଗୁଡ଼ାର ଦୃଶ୍ୟ। ଦିନ ୧୨ଟା ବେଳକୁ ପାରଦ ପାର କରି ସାରିଥିଲା ୪୨ ଡିଗ୍ରୀ।
ଆଉ ସାଢେ ଦୁଇଟା ସୁଦ୍ଧା ତାତିର ମିଟର ଛୁଇଁଥିଲା ୪୪ ଡିଗ୍ରୀ। ଫଳରେ ରାସ୍ତାରେ ଲୋକବାକ କି ଗାଡ଼ି ମୋଟର ଅପେକ୍ଷା ଅଧିକ ରାଜ୍ କରୁଥିଲା ଖରା। ସେହିଭଳି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ହୀରାକୁଦ, ସୋନପୁର ଭଳି ସ୍ଥାନରେ ବି ସତେ ଯେମିତି ତତଲା କଢେଇରେ ଭାଜି ହେଉଥିଲେ ଲୋକେ। ଏପଟେ ରାଉକେଲା, ଅନୁଗୁଳ ଓ କେନ୍ଦୁଝରରେ ବି କିଛି କମ୍ ନଥିଲା ଖରାର ପ୍ରକୋପ। ଏ ସବୁ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଉପରେ ଥିବାରୁ ଅସ୍ତବ୍ୟସ୍ତ ହୋଇଥିଲା ଲୋକେ, ପ୍ରଭାବିତ ହୋଇଥିଲା ଜନଜୀବନ।
ଆଜିର ଅଗ୍ନି ବର୍ଷା କେବଳ ପଶ୍ଚିମରେ ସୀମିତ ନଥିଲା। ପୂର୍ବ ଓ ଉପକୂଳ ଓଡ଼ିଶାରେ ଭୀଷଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗଳିରେ ଆକ୍ତାମାକ୍ତା ହୋଇଥିଲେ ଲୋକେ। ଦିନ ସାଢେ ୨ଟା ସୁଦ୍ଧା ୪୧ ଡିଗ୍ରୀ ଡେଇଁ ସାରିଥିଲା ରାଜଧାନୀର ତାପମାତ୍ରା। ଫଳରେ ଦିନ ୧୨ଟାରୁ ୩ ଯାଏଁ ଯେମିତି ଠପ୍ ହୋଇଥିଲା ବ୍ୟସ୍ତବହୁଳ ଭୁବନେଶ୍ବରର ରାସ୍ତାଘାଟ।
ହିଟ୍ ଡୋମ୍ କାମ କରୁଛି
ଏପଟେ ଗତ କିଛି ଦିନ ଧରି କାହିଁକି ଅନୁଭୂତ ହେଉଛି ଅସମ୍ଭବ ତାତି ଏବଂ ସାଧାରଣ ଭାବେ ୪୦ ଡିଗ୍ରୀ ଉପରେ କଣ ପାଇଁ ରହୁଛି ପାରଦ, ତାର କାରଣ କହିଛନ୍ତି ବିଶେଷଜ୍ଞ। କୁହାଯାଉଛି, ଏବେ ପୃଥିବୀ ପୃଷ୍ଠରେ ଏକ ହାଇପ୍ରେସର ଜୋନ୍ ବା ହିଟ୍ ଡୋମ୍ କାମ କରୁଛି। ଯାହାର ପ୍ରଭାବରେ ଉପରୁ ଆସୁଥିବା ସୂର୍ଯ୍ୟଙ୍କ ପ୍ରଖର ରଶ୍ମୀ ପ୍ରଭାବରେ ସୃଷ୍ଟି ହେଉଥିବା ଉତ୍ତାପ ଆଉ ଉପରକୁ ଯାଇପାରୁନି। ଏହାଦ୍ବାରା ମେଘ ତିଆରି ହେବାରେ ସମସ୍ୟା ହେଉଛି। ଆଉ ଏହା ହିଁ ଉତ୍ତାପ ବୃଦ୍ଧିର ଅନ୍ୟତମ କାରଣ ବୋଲି କହୁଛନ୍ତି ବିଶେଷଜ୍ଞ।
ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି, ଯେ ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମର ପ୍ରକୋପ। ତା ପୂର୍ବରୁ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଆଗକୁ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢ଼ିପାରେ। ସେଥିପାଇଁ ରାଜ୍ୟର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।…
